ପ୍ରଭୂ ଚାୱଲାଙ୍କ ସହ ସାକ୍ଷାତ ସୌହାର୍ଦ୍ଦ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ସନ୍ତର୍ପଣ ଭାବରେ ବିଜୁ ଜନତାଦଳର ଭବିଷ୍ଯତ ଓ ତାଙ୍କର ରାଜନୈତିକ ଉତ୍ତରାଧିକାରୀଙ୍କ ସଂପର୍କରେ ସଂକେତ ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟି ଓ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାରଙ୍କ ସହ ତାଙ୍କର ଭାବଗତ ଆତ୍ମୀୟତା କଥା ସ୍ବୀକାର କରିବାରେ ସେ ତିଳାର୍ଦ୍ଧ କୁଣ୍ଠା ପ୍ରକଟ କରି ନଥିବା ବିଷୟ ଓଡିଶାର ରାଜନୀତିକ ବିଶ୍ଳେଷକମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇନାହିଁ କାରଣ ନବୀନ ବାବୁ ଯଦିଓ କଂଗ୍ରେସ ଓ ଭାଜପା ଠାରୁ ସମଦୂରତା କଥା ସବୁବେଳେ କହି ଆସୁଛନ୍ତି, ବାସ୍ତବତା ହେଉଛି ସେ ସର୍ବଦା ଭାଜପା ସହ ନିବିଡ ରାଜନୈତିକ ବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି। ରାଜନୀତିର ଘଟଣାଚକ୍ରରେ କଦାଚିତ ପାରସ୍ପରିକ ବିରୋଧ କେବଳ ଏକ ଚତୁର ରାଜନୈତିକ ସଲାକୁସ୍ତି ଭାବରେ ହିଁ ସାଦର କରାଯାଉଥିବା ପ୍ରମାଣିତ ହୋଇଛି - ଯାହାର ଫଳ ଅତୀତରେ ବିଜୟ ମହାପାତ୍ର ଭୋଗିଛନ୍ତି ଓ ଆଗାମୀ ଦିନରେ ବୈଜୟନ୍ତ ପଣ୍ଡା ଭୋଗିବେ ।
ଆମେ ଏଠାରେ ସେ ପ୍ରସଙ୍ଗ ଅଧିକ ଆଲୋଚନା କରିବାକୁ ଆବଶ୍ୟକ ମଣୁନାହୁଁ । ଭାଜପାରୁ ନିଜ ଏଠାରେ ଆମେ ଓଡିଶାରେ ବିଜୁ ଜନତା ଦଳର ଭବିଷ୍ୟତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସାଙ୍କେତିକ ମନ୍ତବ୍ଯ କଥା ଅନୁଶୀଳନ କରିବା । ନବୀନଙ୍କ ଅନ୍ତେ କିଏ ବିଜଦର ନେତୃତ୍ବ ନେବେ ଓ କିଏ ହେବେ ଓଡିଶାରେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ, ଏହାକୁ ନେଇ ନାନା ବାଦ ବିତର୍କ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ରାଜନୀତିରୁ ନିଜର ଅବସର କଥା କହିଛନ୍ତି ଓ ଅବସର ନେବା ପରେ ପୁସ୍ତକ ରଚନାରେ ମନୋନିବେଶ କରିବେ ବୋଲି ପ୍ରକାଶ କରିଛନ୍ତି !
୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପ୍ରଥମଥର ପାଇଁ ନବୀନ ପଟ୍ଟନାୟକ ରାଜନୀତିରୁ ଅବସର ନେବାକଥା ଯେପରି ଅପ୍ରତ୍ୟାଶିତ ଭାବେ ଉଲ୍ଲେଖ କରୁଛନ୍ତି, ତାହା କଦାପି ଏକ ସାମାନ୍ଯ କଥା ନୁହେଁ । ନିଜ ରାଜନୈତିକ ଉତ୍ତରାଧିକାରୀଙ୍କ ସମ୍ବନ୍ଧରେ ମଧ୍ଯ ସେ କହୁଛନ୍ତି ଯେ ଲୋକମାନେ ଯାହାଙ୍କୁ ବାଛିବେ, ସେ ହିଁ ହେବେ ତାଙ୍କ ଉତ୍ତରାଧିକାରୀ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଲୋକମାନେ କାହାକୁ ବାଛିବେ; କେମିତି ବାଛିବେ ?
ନବୀନ ପଟ୍ଟନାୟକଙ୍କୁ କଣ ଓଡ଼ିଶାର ଲୋକମାନେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ବାଛିଥିଲେ, ଲୋକମାନେ ଜାଣିଥିଲେ ଚିହ୍ନିଥିଲେ ତାଙ୍କୁ ? ଏହାର ସିଧାସଳଖ ସରଳ ଉତ୍ତର ହେବ - ନା । ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଅନୁଗାମୀମାନେ ନିଜ ରାଜନୈତିକ ଭବିଷ୍ୟତର ସୁଗମ ସୁରକ୍ଷା ପାଇଁ ତାଙ୍କୁ ମୋହରା ନାୟକ ଭାବେ ରାଜନୀତିର ମଞ୍ଚ ଉପରକୁ ଆଣିଥିଲେ ଏବଂ ଲୋକମାନେ ତାହାକୁ ଆବେଗ ବଶତଃ ସ୍ବୀକୃତି ଦେଇଥିଲେ । ଅବଶ୍ଯ ସ୍ବୀକୃତି କିପରି ଉପର୍ଯ୍ୟୁପରି ବିକଶିତ ହୋଇ ଚାଲିଲା ଓ ସେଥିରେ କିଏ କିପରି ଭୂମିକା ନେଇଥିଲେ ତାହା ଆମେ ଏଠାରେ ଆଲୋଚନା କରିବୁ ନାହିଁ। ମାତ୍ର ବର୍ତ୍ତମାନ ଲୋକେ କେମିତି ବାଛିବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ?
ଏହାର ସମ୍ଭାବିତ ସଠିକ ଉତ୍ତର ମଧ୍ଯ ଅନୁରୂପ ଭାବେ ସହଜ ଓ ସରଳ, ଅବସର ନେବା ପୂର୍ବରୁ ବିଜୁ ଜନତା ଦଳର ଅଧିନାୟକତ୍ବ ସେ ଯାହା ହାତରେ ସମର୍ପଣ କରିବେ, ଲୋକମାନେ ତାଙ୍କୁ ହିଁ ବାଛିବେ ବୋଲି ତାଙ୍କର ହୃଦବୋଧ ହୋଇଛି । ଅବଶ୍ଯ ସେ ନିଶ୍ଚୟ ଏପରି ଏକ ବ୍ଯକ୍ତି ହୋଇଥିବେ ଯାହାଙ୍କୁ ନେଇ ଦଳ ବା ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର କନ୍ଦଳ ନଥିବ, ଅର୍ଥାତ୍ ସେ ରାଜନୈତିକ ବ୍ଯକ୍ତି ହିଁ ହୋଇ ନଥିବେ !
ଏପରି ଜଣେ ବ୍ୟକ୍ତି କିଏ ହୋଇପାରନ୍ତି - ତାହାକୁ ନେଇ ଅନୁମାନ ଆକଳନ କରାଯାଉ ! ଆମକୁ ତ ଦିଶୁଛି କେବଳ ଗୋଟିଏ ମୁହଁ , ବିଜୁ ପଟ୍ଟନାୟକଙ୍କ ପ୍ରପୌତ୍ର ଅରୁଣ ପଟ୍ଟନାୟକ ।
ଏବେ କେବଳ ଅପେକ୍ଷା କରିବାକୁ ହେବ କେବେ ନବୀନ ପଟ୍ଟନାୟକ ଆତ୍ମଘୋସିତ ଅବସର ନେଉଛନ୍ତି ।
ନକହି କହିଦେଲେ ନବୀନ - ଅରୁଣ, ଅରୁଣ !
Reviewed by Sushreejyoti Routray
on
September 24, 2019
Rating:
Reviewed by Sushreejyoti Routray
on
September 24, 2019
Rating:





ଗଭୀର ଯଥାର୍ଥ ବିଶ୍ଳେଷଣ 💐 ଅଙ୍କର ଧାରା ଓ ଉତ୍ତର ଠିକ୍ ଅଛି। ସମୟକୁ ଅପେକ୍ଷା ✍️🌹
ReplyDelete