ପାଟକୁରା ନିର୍ବାଚନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାହିଁକି ଯେ ସମ୍ମାନର ଶହେ କୋଟି ଟଙ୍କାର ପ୍ରସଙ୍ଗ ପାଲଟି ଯାଇଛି, ତାହା ବୁଝା ପଡୁନାହିଁ । କାରଣ ଏଠାରୁ ହାରଜିତ ତାଙ୍କ ଶାସନଗାଦି ଅଥବା ତାଙ୍କ ଲୋକପ୍ରିୟତାକୁ କଦାପି ଗୌଣ କରିଦେବ ନାହିଁ ।
ବିଧାନସଭାରେ କ୍ରମାଗତ ପଞ୍ଚମ ଥର ନିରଙ୍କୁଶ ସଂଖ୍ୟାଗରିଷ୍ଠତା, ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା ଭାଜପାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ସହ ଅଭାବିତ ମୈତ୍ରୀ ଓ କଂଗ୍ରେସକୁ ହାତମୁଠାରେ ରଖିବାର ଅଖଣ୍ଡ ସାମର୍ଥ୍ଯ ଥାଇ ମଧ୍ଯ ମୁଖ୍ୟମନ୍ତ୍ରୀ କେଉଁ ରହସ୍ୟଜନକ କାରଣରୁ ବିଜୁ ଜନତାଦଳର ରାଜନୈତିକ ପ୍ରତିଷ୍ଠାତା ବିଜୟ ମହାପାତ୍ରଙ୍କୁ ୨୦ ବର୍ଷ ଧରି କଳବଳ କୌଶଳ ପ୍ରୟୋଗ କରି ବିଧାନସଭା ବାଟ ଓଗାଳୁଛନ୍ତି । ତାହା ରାଜନୀତିରେ ଆଗ୍ରହ ରଖୁଥିବା ସମୀକ୍ଷକ ଓ ସଚେତନ ନାଗରିକମାନେ ବୁଝି ପାରୁନାହାନ୍ତି।
୨୦୦୪ ମସିହାରେ ପାଟକୁରାରେ ଏକ ନିର୍ବାଚନ ସଭାରେ ବିଜୁ ଜନତା ଦଳର ତଦାନୀନ୍ତନ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ର ଦଳର ସଂକଳ୍ପ ଘୋଷଣା କରି କହିଥିଲେ ଯେ 'ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୁରାଇ ଦିଆଯିବ ନାହିଁ !'
ଏହା ନିଶ୍ଚୟ ଏକ ଅଦ୍ଭୁତ ସଂକଳ୍ପ ଓ ଆମେ ଦେଖି ଆସୁଛୁ ଓଡିଶାର ଅପ୍ରତିଦ୍ୱନ୍ଦୀ ନେତା ଧୀର ସ୍ଥିର ଶାନ୍ତ ସମାହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂକଳ୍ପଟିକୁ ସର୍ବାଗ୍ର ପ୍ରାଥମିକତା ଦେଇ ଆସୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ଯ ବିଜୟ ମହାପାତ୍ରଙ୍କ ବାବଦରେ ନବୀନଙ୍କ ରଣକୌଶଳ ଅପରିବର୍ତ୍ତିତ ରହିଛି । ମୃତ୍ୟୁଶଯ୍ୟାରେ ଥାଇ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରବାଲଙ୍କ ମୃତ୍ଯୁ,ଫନି ଆଳରେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ବ୍ଯସ୍ତତା ଇତ୍ଯାଦିରୁ ଏହା ସମସ୍ତେ ଲକ୍ଷ୍ଯ କରିଛନ୍ତି । ବିରୋଧୀ ପକ୍ଷର ଯେକେହି ଟାଣୁଆ ଯୋଦ୍ଧାଙ୍କୁ ନିଜ ଦଳକୁ ଆଦରର ସହ ଆମନ୍ତ୍ରଣ କରି ଆଣିଛନ୍ତି କୌଶଳୀ ନବୀନ ପଟ୍ଟନାୟକ, କେବଳ ବିଜୟ ମହାପାତ୍ରଙ୍କୁ ଛାଡି । ରାଜନୀତିର ସେହି ଛାଇ ଆଲୁଅର ଖେଳ ନବୀନଙ୍କ କୂଟନୀତି କୌଶଳର ରହସ୍ଯମୟ ଉଦାହରଣ,ଏହାର ଅନୁଶୀଳନ ଆମେ ବାରାନ୍ତରେ କରିବା ।
ଏବେ ଏଠାରେ ଆମେ କେବଳ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନର ରାଜନୈତିକ ବିଭାବ ସଂପର୍କରେ ଜାଣିବା । ଏହି ନିର୍ବାଚନମଣ୍ଡଳୀର ମାଟିର ପୁଅ ବିଜୟ ମହାପାତ୍ର ଓ ଅତନୁସବ୍ୟସାଚୀ ନାୟକ । ୨୦୦୦ ନିର୍ବାଚନରେ ନବୀନଙ୍କ ଅତର୍କିତ ବିଶ୍ବାସଘାତକତା ଓ ଷଡଯନ୍ତ୍ରର ପଞ୍ଝାମାଡରେ ବିଜୟ ମହାପାତ୍ର ଲଢେଇ ମୈଦାନରୁ ବାହାର ହୋଇଗଲେ । ସେଥର ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅନାମଧ୍ଯେୟ ତ୍ରିଲୋଚନ ବେହେରାଙ୍କ କାନ୍ଧରେ ହାତ ରଖି ତାଙ୍କୁ ବିପୁଳ ବ୍ଯବଧାନରେ ଜିତାଇ ଦେଲେ । ମାତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭାଜପା-ବିଜଦ ସରକାର ଶାସନଗାଦିକୁ ଆସିଲା; ତାପରଠାରୁ ଆରମ୍ଭ ହୋଇଗଲା ବିଜୟଙ୍କ ବିରୋଧରେ କୁଟ କପଟର ରାଜନୈତିକ ଖେଳ । କଳ ବଳ ଶାସକୀୟ କୌଶଳ ପ୍ରୟୋଗ କରି ବିଜୟଙ୍କ ବିଜୟମାର୍ଗକୁ ୨୦ ବର୍ଷ ଧରି ଅବରୋଧ କରିବାରେ ସକ୍ଷମ ହୋଇଛନ୍ତି ନବୀନ ପଟ୍ଟନାୟକ ।
୨୦୧୯ ନିର୍ବାଚନ ପାଇଁ ମଧ୍ଯ ବିଜୟଙ୍କୁ ମାତ୍ ଦେବାକୁ ସବୁ ପ୍ରକାର ଷ୍ଟ୍ରାଟେଜି ରେଡି କରି ରଖିଛନ୍ତି, ସରକାର ଗଠନ କରି କ୍ଷମତାକୁ ନିଜ ହାତମୁଠାରେ ଶକ୍ତ କରିଛନ୍ତି, ଭାଜପାର କେନ୍ଦ୍ରୀୟ ନେତୃତ୍ବକୁ କୋଳାଗ୍ରତ କରିଛନ୍ତି ଓ ପାଟକୁରା ନିର୍ବାଚନ ଦେଖାଶୁଣା କରିବାକୁ ମାଳ ମାଳ ମନ୍ତ୍ରୀ ବିଧାୟକଙ୍କୁ ଡ୍ଯୁଟିରେ ମୁକରିର୍ କରିଛନ୍ତି । ଲୋକେ ଦେଖୁଛନ୍ତି ଏଠି ନିର୍ବାଚନ ଲଢେଇ ବିଜୟ ମହାପାତ୍ର ଓ ବେଦପ୍ରକାଶଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରବାଲଙ୍କ ମଧ୍ଯରେ ହେଉନାହଁ, ଆମେ ତ' ନିଶ୍ଚୟ ଏହାକୁ 'ପାଟକୁରା ବନାମ ଓଡିଶା ସରକାର ' ଲଢେଇ ବୋଲି କହିବୁ !
ଚିନ୍ତାର କଥା ହେଲା ବିଜୟଙ୍କୁ ଧରାଶାୟୀ କରିବାକୁ ଯେଉଁ ପଲଟଣ ଏଥର ନବୀନ ତିଆରି କରିଛନ୍ତି, ସେଥିରେ ଗୋଟିଏ ପକ୍ଷ ବିଜୟଙ୍କ ହାରଜିତ ଅପେକ୍ଷା ଅତନୁସବ୍ୟସାଚୀଙ୍କୁ ଅକଡରେ ପକାଇବା କାମରେ ବେଶୀ ତତ୍ପରତା ଦେଖାଇବେ । ଏହି ପକ୍ଷରେ ଥିବା ସେନାପତିମାନେ ୨୦୧୪ରୁ ୨୦୧୯ ମଧ୍ୟରେ ବିଜୟଙ୍କୁ ବିଜଦକୁ ଫେରାଇ ଆଣିବା କାମରେ ୧୪ ଥର ମାତିଥିବା ଆମେ ଦେଖିଛୁ - ସେତେବେଳେ ମଧ୍ଯ ସେମାନଙ୍କ ଟାର୍ଗେଟରେ ଥିଲେ ଅତନୁ ! ଆଉ ସବୁଠାରୁ ଆମୋଦଦାୟକ କଥା ହେଲା, ଏହି ସେନାପତିମାନଙ୍କ ମଧ୍ଯରୁ ୩ ଜଣ ନବୀନଙ୍କ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ପାଇଁ ବିଜୟମହାପାତ୍ର ହାରିବା ଜିତିବା ବିଶେଷ ଗୁରୁତ୍ୱ ରଖୁନାହିଁ । ଏଣେ ପୁଣି ପାଟକୁରାରୁ ବିଜଦ ଟିକେଟ ପାଇଁ ଆଶାୟୀ ଥିବା ତେଜେଶ୍ବର ପରିଡା ଓ ରବି ସାମଲଙ୍କ ସମର୍ଥକମାନେ ଖୋଲାଖୋଲି ବିଜୟମହାପାତ୍ରଙ୍କୁ ସମର୍ଥନ କରୁଥିବା କାରଣରୁ ଦଳର ଆଭ୍ଯନ୍ତରୀଣ ସ୍ଥିତି ଦୁର୍ବଳ ହୋଇଯାଉଛି । ଏହାକୁ ଅରୁଣ ସାହୁ, ପ୍ରତାପ ଜେନା, ରାଜା ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ ପ୍ରତାପ ଦେବ, ଅତନୁସବ୍ୟସାଚୀ ନାୟକ ଓ ଅଚ୍ୟୁତ ସାମନ୍ତ ଇତ୍ୟାଦି କିପରି ସଜାଡି ପାରିବେ; ପାରିବେ କି' ନାହିଁ ତାହା ଅନ୍ଯାନ୍ଯ ବହୁକଥା ଉପରେ ନିର୍ଭର କରେ।
ଜୁଲାଇ ୨୪ ତାରିଖରେ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ସହଜ ନୁହେଁ । ବିଜଦ ପାଇଁ ମାଳ ମାଳ ନେତା ମନ୍ତ୍ରୀ ଆଡମ୍ବରପୂର୍ଣ ପ୍ରଚାର ଅଭିଯାନ ଚଳାଉଥିବା ବେଳେ ବିଜୟଙ୍କ ପାଇଁ ଗାଁ ଗାଁରେ ବୈଠକ ବସୁଛି, ସ୍ବାଭିମାନ ଓ ଷଡଯନ୍ତ୍ର କଥା ଆଲୋଚନା ହେଉଛି । ୪୦ ବର୍ଷ ତଳେ ପାଟକୁରାକୁ ପ୍ରଥମ କରି ବିକାଶର ମାର୍ଗରେ ଯୋଡିଥିବା ବିଜୟମହାପାତ୍ରଙ୍କ ପାଇଁ ଏକ ଅଭିନବ ସହାନୁଭୂତିର ଭାବନା ସୃଷ୍ଟି ହେଉଛି, ତାହା ହେଲା । ନବୀନ ମୁଖ୍ୟମନ୍ତ୍ରୀ ଥାଆନ୍ତୁ, ହେଲେ ଏଥର ବିଧାନସଭା ପାଇଁ ବିଜୟମହାପାତ୍ର ଦରକାର ।
ବିଜୟ ବନାମ ଓଡିଶା ସରକାର
Reviewed by Sushreejyoti Routray
on
July 06, 2019
Rating:
No comments: