କନକ ଟିଭି ଓ କନକ ନ୍ଯୁଜର ୧୦ ବର୍ଷ ପୁର୍ତ୍ତି ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବାଦ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତି କରିଥିବା କୋମଳ କଟାକ୍ଷ ସମସ୍ତଙ୍କୁ ବେଶ୍ କୌତୁକିତ କରିଛି । ତନୟା ପଟ୍ଟନାୟକ ନାୟାରଙ୍କ ସହ ସାକ୍ଷାତ ସୌହାର୍ଦ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ନିଜ ରାଜନୈତିକ ଜୀବନକୁ ଭାରତୀୟ ଆଧ୍ୟାତ୍ମିକ ଭାବନା ସହିତ ଯୋଡି ଯେପରି ଭାବରେ ଦାସିଆ ବାଉରୀ ଓ ମାଣିକ ଗୌଡୁଣୀ ଉପାଖ୍ୟାନର ଅବତାରଣା କଲେ, ତାହା ସମସ୍ତଙ୍କୁ ଆମୋଦଦାୟକ ପ୍ରତୀତ ହୋଇଥିବ । ତାହା କେତେକାଂଶରେ ମୋଦୀଜୀଙ୍କ ସଂସାରର ମୋହମାୟା ତ୍ଯାଗ ଓ ହିମାଳୟର କଠୋର ସାଧନା ସଂପର୍କରେ ଭାଜପା ଭକ୍ତମାନଙ୍କ କାହାଣୀ ବର୍ଣ୍ଣନା ପରି ଥିଲା । ଆମେ ଏଠାରେ ସେସବୁ କଥା ଉପରେ କିଛି ଟିପ୍ପଣୀ ଦେବୁ ନାହିଁ। ଆମେ କେବଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂପର୍କରେ ତାଙ୍କ କୋମଳ କଟାକ୍ଷ କଥା ଆଲୋଚନା କରିବୁ।
ଓଡିଶାରେ ଆଧୁନିକ ସାମ୍ବାଦିକତା କ୍ଷେତ୍ରକୁ ଏକ ନବ ଦିଗନ୍ତ ପ୍ରଦାନ କରିଥିବା ଶ୍ରୀ ପଟ୍ଟନାୟକ ରାଜନୀତି ବଦଳରେ ସମ୍ବାଦପତ୍ର ସମ୍ପାଦନାରେ ସମ୍ପୂର୍ଣ୍ଣ ମନୋନିବେଶ କରିବାକୁ ଅଯାଚିତ ପରୋକ୍ଷ ପରାମର୍ଶ ଦେଇ ଶ୍ରୀ ପ୍ରଧାନ ନିଶ୍ଚୟ ଭୂଲି ଯାଇଛନ୍ତି ଯେ ରାଜନୀତି, ସାହିତ୍ୟ ଓ ସାମ୍ବାଦିକତା ପରସ୍ପରର ପରିପୁରକ ହୋଇପାରିବ ।
ହରେକୃଷ୍ଣ ମହତାବ, ରାଧାନାଥ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବଳ, ତଥାଗତ ଶତପଥୀ କେବଳ ନୁହଁନ୍ତି, ମାନେକା ଗାନ୍ଧୀ ଓ ଏମ୍ ଜେ ଆକବର ଇତ୍ୟାଦି ସମ୍ପାଦକମାନେ ରାଜନୀତିକୁ ବଳିଷ୍ଠ ଭାବେ ପ୍ରଭାବିତ କରିଛiନ୍ତି ।
ସୌମ୍ୟରଞ୍ଜନ ପଟ୍ଟନାୟକ ଯେତେବେଳେ ଓଡ଼ିଶାରେ ଭାଜପାର ରାଜନୈତିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ, ସେତେବେଳେ ରାଜନୀତିରେ ଶ୍ରୀ ପ୍ରଧାନ ଥିଲେ ଜଣେ ଅର୍ବାନ ନାବାଳକ ମାତ୍ର ।
ରାଜନୀତି ହେଉଛି ସ୍ପର୍ଦ୍ଧା ଓ ପ୍ରତିବଦ୍ଧତାର ମିଶ୍ରରୂପ;ସୌମ୍ୟରଞ୍ଜନ ତାହାର ଏକ ଚମତ୍କାର ଉଦାହରଣ ! ସେ କେବେ ହେଁ କୌଣସି ଦଳକୁ ନିଜର ବ୍ରାଣ୍ଡ ଭାବେ ବ୍ୟବହାର କରି ନାହାଁନ୍ତି । ନିଜ ବିଚାର ଓ ବୈଚାରିକ ସିଦ୍ଧାନ୍ତ ସର୍ବଦା ତାଙ୍କର ନିଜସ୍ବ ବ୍ରାଣ୍ଡ ହୋଇ ରହିଛି । ଏକଥା ଧର୍ମେନ୍ଦ୍ର ଜାଣନ୍ତି, ସମସ୍ତେ ଜାଣନ୍ତି ।
ସୌମ୍ୟରଞ୍ଜନଙ୍କୁ ପ୍ରଶଂସା କରିବାକୁ ଯାଇ ଧର୍ମେନ୍ଦ୍ର ସମ୍ଭବତଃ ଭାବପ୍ରବଣ ହୋଇ ଏପରି ବିଭ୍ରମତା ପ୍ରକଟ କରିଛନ୍ତି। ଭାଜପା ନେତାମାନେ ଏପରି ବାଚାଳତା କରୁଥିବାର ଉପର୍ଯ୍ୟୁପରି ଦୃଷ୍ଟାନ୍ତ ଆମେ ଆଗରୁ ଦେଖିଛେ, ମାତ୍ର ଧର୍ମେନ୍ଦ୍ର ପ୍ରଧାନ ପ୍ରାତଃ ଏପରି କରନ୍ତି ନାହିଁ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଶଂସା କରୁ କରୁ ଭାବ ବିହ୍ବଳ ହୋଇ ସେ ଏବଂବିଧ କୋମଳ କଟାକ୍ଷ କରି ଦେଇଛନ୍ତି ବୋଲି ଆମର ହୃଦବୋଧ ହେଉଛି।ସବୁ ସଂବାଦପତ୍ର ସମ୍ପାଦକ ଓ ସାମ୍ବାଦିକମାନେ ଏହାକୁ ଏହି ଭାବେ ଗ୍ରହଣ କରନ୍ତୁ ।।
ପ୍ରଶଂସା କରୁକରୁ କରିଦେଲେ କୋମଳ କଟାକ୍ଷ
Reviewed by Sushreejyoti Routray
on
October 06, 2019
Rating:
![ପ୍ରଶଂସା କରୁକରୁ କରିଦେଲେ କୋମଳ କଟାକ୍ଷ](https://blogger.googleusercontent.com/img/b/R29vZ2xl/AVvXsEgGIgOvBI3Gg9WAKWOrCycH_n-MmjYcLvG0F0bQ23-nlLzn_hYp70PNaL6aKshsWekEUQjGZQUqjPqtqGfbcDt2ZOY3s30eD7Y5dgE7K5Y0BDljFjghyphenhyphenMa1sftJAj4fyH9BIwIpRHZqzL9r/s72-c/dharemendra.jpg)
No comments: