ପାଟକୁରା ବିଧାନସଭା ଉପନିର୍ବାଚନରେ ବିଜୁ ଜନତାଦଳ ୧୭ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହେବା ସତ୍ତ୍ବେ ଦଳ ସୁପ୍ରିମୋ ଆଶ୍ୱସ୍ତ ନୁହନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ଏଠାରୁ ୪୭ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜିତିଥିଲେ, ଏଥର ଏହି ବ୍ୟବଧାନ ୩୦ ହଜାର ହ୍ରାସ ପାଇଛି । ନିର୍ବାଚନରେ ଦଳ ପକ୍ଷରୁ ୭୦ ବିଧାୟକ, ୭ ମନ୍ତ୍ରୀ ଓ ଅନ୍ଯାନ୍ଯ ବହୁ ହେଭିୱେଟ ନେତାଙ୍କୁ ନିୟୋଜିତ କରାଯାଇଥିଲା, ନିଜେ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସରେ ବୁଲି ନିର୍ବାଚନ ମଣ୍ଡଳୀର ୩ଟି ଯାକ ବ୍ଲକରେ ରୋଡ ସୋ କରିଥିଲେ । ବିଜୟଙ୍କୁ ଆଖିଦୃଶିଆ ଭାବେ ଧୂଳି ଚଟେଇବା ପାଇଁ ସରକାରୀ ଦଳ ପାଖାପାଖି ୭୦ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଥିବା କଥା ଚର୍ଚ୍ଚା ହେଉଛି । ଦଳର ଏହି ମହାବଳୀ ସେନାବାହିନୀରେ କେନ୍ଦ୍ରାପଡା ଜିଲ୍ଲାର ସମଗ୍ର ପ୍ରଶାସନିକ ଓ ପୋଲିସ ବଳ ଗରିଲା ସେନା ଭାବରେ କାର୍ଯ୍ୟ କରୁଥିଲା - ତାହାର ଉପର୍ଯ୍ୟୁପରି ପ୍ରମାଣ ଆମେ ସୋସିଆଲ ମେଡ଼ିଆରେ ଦେଖିଛେ ।
ଅନ୍ୟ ପକ୍ଷରେ ବିଜୟମହାପାତ୍ର ନିଜ ସ୍ଥାନୀୟ ସମର୍ଥକଙ୍କ ସହିତ ପ୍ରାୟ ଏକାକୀ ନବୀନଙ୍କ ଏହି ମହାବଳୀ ସେନାବାହିନୀର ସାମ୍ନା କରିଥିଲେ । ଦିଲ୍ଲୀରୁ କେନ୍ଦ୍ରୀୟ ଭାଜପାର କେହି ଶକ୍ତିଶାଳୀ ନେତା ପ୍ରଚାର ପାଇଁ ପାଟକୁରା ଆସିନଥିଲେ । ଅବଶ୍ଯ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଏଠାରେ ଦିନିକିଆ ଦିଦିନିଆ ପ୍ରଚାର କରିଥିଲେ; ମାତ୍ର ତାହା କେବଳ ' ତବ ବାଧତି ବାଧତେ ' ପରି ହୋଇଥିଲା ।
ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରକୁ ଯେପରି ଭାବେ ଅର୍ଥବଳ, ଶାସନ କଳ ଓ ସରକାରୀ ପ୍ରତିଶ୍ରୁତିର କପଟ ଖେଳରେ ଘମାଘୋଟ କରିଥିଲେ - ସେଥିରେ ସେ ସ୍ବାଭାବିକ ଭାବେ ଆଶା କରିଥିବେ ଯେ ବିଜୟମହାପାତ୍ରଙ୍କ ପରାଜୟ ସେହିପରି ଛାତିଥରା ହେବ । ପାଟକୁରାରେ ନିୟୋଜିତ ତାଙ୍କ ସେନାପତିମାନେ ମଧ୍ଯ ତାଙ୍କୁ ଅନୁରୂପ ସୂଚନା ଦେଇଥିଲେ ଯେ ଏଥର ବିଜୟ ବ୍ଯବଧାନ ୫୦ ହଜାର ଟପିବ ! ମାତ୍ର ଫଳ ତାହା ହେଲାନାହିଁ । ବିଜୟମହାପାତ୍ରଙ୍କ ଦୁର୍ଦ୍ଦମନୀୟ ରାଜନୈତିକ ମେରୁହାଡକୁ ଭାଙ୍ଗିବାରେ ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳ ସମର୍ଥ ହେଲାନାହିଁ ।
ନବୀନ ପଟ୍ଟନାୟକ ଆଶା କରିଥିଲେ ଯେ ବିଳମ୍ବିତ ନିର୍ବାଚନରେ ବିଜୟଙ୍କ ପରାଜୟ ଏତେ ଶୋଚନୀୟ ହେବ ଯେ ରାଜନୀତିରୁ ସନ୍ନ୍ୟାସ ନେବା ବ୍ଯତୀତ ତାଙ୍କର ଗତ୍ଯନ୍ତର ରହିବ ନାହିଁ । ହେଲେ ପ୍ରଭୁତ ଅର୍ଥବଳ ଓ ସରକାରୀ ପ୍ରତିଶ୍ରୁତିର ଅପର୍ଯ୍ୟାପ୍ତ ପ୍ରଲୋଭନ ସତ୍ତ୍ୱେ ଅଧାରୁ ଅଳ୍ପକିଛି କମ ଭୋଟର ତାଙ୍କ ରାଜନୈତିକ ବ୍ଯକ୍ତିତ୍ବ ପ୍ରତି ଆସ୍ଥା ପ୍ରକଟ କରିଥିବା ଦେଖି ବିଜୟମହାପାତ୍ର ଦୃପ୍ତ କଂଠରେ ଘୋଷଣା କରିଛନ୍ତି ଯେ ସେ ରାଜନୀତିରୁ ଅବସର ନେବାର ପ୍ରଶ୍ନ ନାହିଁ !
ନିଜ ପରାଜୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୈତିକ ସରକାରୀ ଚକ୍ରାନ୍ତର ଫଳ ଭାବରେ ଅଭିହିତ କରି ଅନ୍ଯ ଏକ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ବିଜୟ ଯେ ପାଟକୁରା ଯୁଦ୍ଧରେ ବିଜେଡିର ୩ ଥାକିଆ ସେନାବାହିନୀର ସେନାପତିମାନେ ତାଙ୍କ ସହ ଗୋପନ ସମ୍ପର୍କରେ ଅଛନ୍ତି କାରଣ ନବୀନଙ୍କ ଅଧୀନରେ ସେମାନେ ନିଜର ରାଜନୈତିକ ଭବିଷ୍ଯତକୁ ସୁରକ୍ଷିତ ମଣୁନାହାନ୍ତି ।
ଶ୍ରୀ ମହାପାତ୍ରଙ୍କ ଏହି ସ୍ବତଃସ୍ଫୁର୍ତ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ହାଲୁକା ଭାବେ ନେଇ ନଥିବେ, କାରଣ କେବଳ ଅତନୁସବ୍ୟସାଚୀ ନାୟକଙ୍କୁ ଛାଡିଦେଲେ ଅନ୍ଯ ସବୁ ସେନାପତିମାନେ ୨୦୧୪ ଶେଷଭାଗରୁ ୨୦୧୯ ଆରମ୍ଭ ମଧ୍ୟରେ ବିଜୟଙ୍କୁ ବିଜେଡିକୁ ଫେରାଇ ଆଣିବା ଅଭିଯାନରେ ୧୪ ଥର ମାତିଥବା ଆମେ ସମସ୍ତେ ଦେଖିଛେ । ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ବର୍ଗୀୟ ପିତାମାତାଙ୍କ ସହ ବିଜୟଙ୍କ ନିଗୁଢ ପାରିବାରିକ ସମ୍ବନ୍ଧ କଥା ଓଡ଼ିଶା ରାଜନୀତି ଇତିହାସର ଖବର ରଖୁଥିବା ସମସ୍ତେ ଜାଣନ୍ତି ଓ ଅନ୍ଯ କେତେକଙ୍କୁ ସେ ରାଜନୀତିରେ ଗଢିଥିବା ଖବର ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
ପାଟକୁରା ନିର୍ବାଚନ ବିଜୟଙ୍କ ରାଜନୈତିକ ମେରୁଦଣ୍ଡ ଭାଙ୍ଗିବା ତ ଦୂରର କଥା, ଜଖମ ମଧ୍ୟ କରି ପାରିନାହିଁ - ଏକଥା ଆଉ କିଏ ସ୍ବୀକାର କରନ୍ତୁ ନକରନ୍ତୁ, ମୁଖ୍ୟମନ୍ତ୍ରୀ ଠିକ ବୁଝି ଯାଇଥିବେ । ଉପରକୁ ମାନ୍ଯବର ମାନ୍ଯବର କହି ଅତି ଭକ୍ତି ଦେଖାଉଥିବା ବିଜେଡି ନେତା ବିଧାୟକ ମନ୍ତ୍ରୀମାନଙ୍କ ତାଙ୍କପ୍ରତି ଭରସା ସଂଶୟାଚ୍ଛନ୍ନ ଅବସ୍ଥାରେ ଥିବା ବେଳେ ବିଷୁବ କ୍ରାନ୍ତି ଅଞ୍ଚଳର ପାଣିପାଗ ଭଳି ନରେନ୍ଦ୍ର ମୋଦୀଙ୍କ ମନୋଭାବ ଭିତରେ ଭିତରେ ବଦଳି ଯିବାର ଆଶଂକା ଓଡିଶାର ରାଜନୀତି ଆକାଶରେ କଳାବାଦଲ ପରି ଘୋଟି ରହିଛି । ତାହା ଖାଲି ଆଖିକୁ ଦେଖା ଯାଉନଥିଲେ ସୁଦ୍ଧା ନବୀନଙ୍କୁ ସ୍ପଷ୍ଟ ଦେଖାଯାଉଥିବ ।
ଏକଥା ସତ୍ୟ ଯେ ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଚତୁର କୌଶଳୀ ରାଜନେତା, ତେଣୁ ଏବେ ସେ କଣ କରିବେ ଓ କାହା ହାତରେ ଦଳର ଛମୁଆ ବାହିନୀର କର୍ତ୍ତୁତ୍ବ ଧରାଇବେ, ତାହା ଦେଖିବାକୁ ବାକି ରହିଲା ।
ବିଜୟ ବିପଦ ଟଳିନାହିଁ
Reviewed by Sushreejyoti Routray
on
July 29, 2019
Rating:
![ବିଜୟ ବିପଦ ଟଳିନାହିଁ](https://blogger.googleusercontent.com/img/b/R29vZ2xl/AVvXsEhyQ1-QIIwcRrilsaZIdTUtiva70IWQw6xiChF8eLl61MGp_eCITrrjX2NlPtB1K_UfBTwVqAn5GnltiGQOVOH17de9ngO9Z0dVGxzYpd15Gidewr7l-Ckig-QfrULQ1BLJ4nnykq6p5GWU/s72-c/naveen-bijaya-fight.jpg)
No comments: